ଯୋଗ -ବ୍ୟାୟାମ
ବହି ପଢିବା ଏକ ଖୁବ୍ ଭଲ ବ୍ୟାୟାମ
ମହିଳାମାନଙ୍କର ଘର କାମ ସାରିବା ପରେ କିଛି ସମୟ ପାଇଁ ନିଜକୁ ରିଲାକ୍ସ କରିବାକୁ ପସନ୍ଦ କରିଥାନ୍ତି । ଏହି ସମୟରେ ସେମାନେ ପ୍ରାୟତଃ ଗପସପ କରିବାକୁ ପସନ୍ଦ କରିଥାନ୍ତି । କେବେ କେବେ ଗପସପ କରି ନିଜକୁ ଭାରାକ୍ରାନ୍ତ ମଧ୍ୟ କରିଥାନ୍ତି । ଫଳରେ ମାନସିକ ସି୍ଥତି ଅସ୍ଥିର ହୋଇପଡେ । ଜାଣନ୍ତି କି ଏହି ସମୟକୁ ଆପଣ ଚାହିଁଲେ ଯେକୌଣସି ବହି ପଢିବାରେ ବ୍ୟବହାର କରିପାରିବେ । ଏହା ଏକ ଖୁବ୍ ଭଲ ବ୍ୟାୟାମ ମଧ୍ୟ, ଯାହା ମାନସିକ ସ୍ଥିତିକୁ ସୁସ୍ଥ ରଖିଥାଏ । ବହି ପଢା ହେଉଛି ଚିନ୍ତା ଓ ଅଯଥା ଗପସପଠାରୁ ଦୂରେଇ ରହିବା ପାଇଁ ଶ୍ରେଷ୍ଠ ବିକଳ୍ପ । ବହି ପଢିବା ଦ୍ୱାରା ଜ୍ଞାନ ଅର୍ଜନ ସହ ଆତ୍ମବିଶ୍ୱାସ ଓ ଏକାଗ୍ରତା ମଧ୍ୟ ବଢିଥାଏ । ଆଉ ମାନସିକ ସ୍ଥିତି ସ୍ଥିର ରହିଥାଏ । ଭଲ ନିଦ ପାଇଁ ପଢିବା ଜରୁରି ପଢିବା ଏକ ଭଲ ଅଭ୍ୟାସ, ଯାହା ସ୍ୱାସ୍ଥ୍ୟ ସହ ବ୍ୟକ୍ତିତ୍ୱରେ ମଧ୍ୟ ସୁଧାର ଆଣିଥାଏ । ପଢିବା ଦ୍ୱାରା ଚିନ୍ତା ଓ ଅବସାଦ ଦୂର ହୋଇଥାଏ । ଫଳରେ ନିଦ ନ ଆସିବା ପରି ସମସ୍ୟା ଥିଲେ, ତାହା ଦୂର ହୋଇ ଭଲ ନିଦ ଆସିଥାଏ । ଚିନ୍ତାରୁ ମୁକ୍ତି ଆମ ଶରୀର ସହ ଚିନ୍ତାର ସିଧାସଳଖ ସମ୍ପର୍କ ରହିଛି । ତେଣୁ ଅଧିକ ଚିନ୍ତା କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିଥାଏ । ଏପରିକି ବେଳେ ବେଳେ ମାନସିକ ଅବସାଦ ମଧ୍ୟ ଆସିଥାଏ । ଏଥିରୁ ନିସ୍ତାର ପାଇବା ପାଇଁ ବହି ପଢିବା ହେଉଛି ଶ୍ରେଷ୍ଠ ମାଧ୍ୟମ । ପଢିବା ଦ୍ୱାରା ଜ୍ଞାନ ସହ ସୃଜନଶୀଳତା ବଢେ । ସେହିପରି ଆତ୍ମବିଶ୍ୱାସ ମଧ୍ୟ ବଢିଥାଏ । ଏପରିକି ଭାବିବା ଓ ବୁଝିବାରେ ମଧ୍ୟ ସୁଧାର ଆସିଥାଏ
ଯୋଗ ବଢ଼ାଏ ସ୍ମରଣଶକ୍ତି
ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହ ମାନସିକ ଯୋଗର ମଧ୍ୟ ଆବଶ୍ୟକତା ରହିଛି । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଶରୀରର ଯତ୍ନ ନେବାକୁଭୁଲିଯାଉଛେ, ଯାହାଦ୍ୱାରା ଅନେକ ରୋଗର ଶିକାର ହେଉଛେ । ତେଣୁ ଶରୀରକୁ ଚଞ୍ଚଳ ରଖିବା ପାଇଁ ଯୋଗକୁ ବିକଳ୍ପ ଭାବେ ସମସ୍ତେ ଆପଣେଇ ପାରନ୍ତି । ଯୋଗ କରିବାଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁଡ଼ିକ ମଜବୁତ୍ ହୋଇଥାଏ । ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବେ ହୁଏ, ଯାହା ଆମ ଅଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଶକ୍ତ କରିଥାଏ । ରକ୍ତଚାପକୁ ଏହା ସନ୍ତୁଳିତ ଅବସ୍ଥାରେ ରଖେ ଯଦ୍ୱାରା ଡାଇବେଟିସ୍, ହୃଦ୍ରୋଗ, ଉଚ୍ଚ ରକ୍ତଚାପ, କ୍ୟାନ୍ସର ଭଳି ଅନେକ ରୋଗରୁ ଆମେ ରକ୍ଷା ପାଇଥାଉ । ଅନେକ ସମୟରେ ଅଧିକାଂଶ ଲୋକ ଚାପର ବଶବର୍ତ୍ତୀ ହୋଇ ଠିକ୍ ଭାବେ ଶୋଇ ପାରନ୍ତି ନାହିଁ । ଫଳରେ ସେମାନେ ନିଦ୍ରାହୀନତାର ଶିକାର ହୁଅନ୍ତି । ଏଥିରୁ ଯୋଗ କେତେକାଂଶରେ ଉପଶମ ଦେଇଥାଏ । ମାନସିକ ଭାରସାମ୍ୟ ଠିକ୍ ରଖିବା ଓ ସ୍ମରଣ ଶକ୍ତି ବଢ଼ାଇବା ଦିଗରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
Comments
Post a Comment