ଆଣ୍ଟିବାୟୋଟିକ୍ସ
ମହାମାରୀ ପାଲଟିଛି ଆଣ୍ଟିବାୟୋଟିକ୍ସ
ଭୁବନେଶ୍ୱର:ଆଣ୍ଟିମାଇକ୍ରୋବାୟାଲ୍ ରେଜିଷ୍ଟାନ୍ସ(ଏଏମ୍ଆର) ବା ସାଧାରଣ ଭାବେ ଡ୍ରଗ୍ ରେଜିଷ୍ଟାଣ୍ଟସ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି । ଏଏମ୍ଆର ପାଇଁ ବିଶ୍ୱର ଯେଉଁ କେତୋଟି ଦେଶରେ ସର୍ବାଧିକ ମୃତ୍ୟୁ ହେଉଛି ତହିଁରେ ଭାରତ ରହିଛି । ସାଧାରଣ ଥଣ୍ଡା ଜ୍ୱରରେ ଲୋକମାନେ ଆଜିଥ୍ରୋମାଇସିନ୍ ଭଳି ଆଣ୍ଟିବାୟୋଟିକ୍ସ୍କୁ ଖାଇବା ଲାଗି ଘୋଷି ପକାଇଛନ୍ତି । ଏହା କେବଳ ଭାରତର ସମସ୍ୟା ନୁହେଁ, ଆମେରିକା ଓ ୟୁରୋପରେ ମଧ୍ୟ ଏଭଳି ସଙ୍ଗିନ୍ ସ୍ଥିତି ରହିଛି । ଭାରତରେ ପ୍ରତି୯ ମିନିଟ୍?ରେ ଗୋଟିଏ ଶିଶୁ ଆଣ୍ଟିବାୟୋଟିକ୍ସ୍ ରେଜିଷ୍ଟାନ୍ସ କାରଣରୁ ପ୍ରାଣ ହରାଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି । ଡ୍ରଗ୍ ରେଜିଷ୍ଟାନ୍ସ୍ ଏବେ ଏକ ଅଘୋଷିତ ମହାମାରୀ ପାଲଟିଛି । ଆଣ୍ଟିବାୟୋଟିକ୍ସ୍ର ଅପବ୍ୟବହାର ହିଁ ଏଭଳି ସମସ୍ୟାର କାରଣ । ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ, ସବୁଠି ଆଣ୍ଟିବାୟୋଟିକ୍ସ୍ର ବ୍ୟବହାର କାରଣରୁ ଡ୍ରଗ୍ ରେଜିଷ୍ଟାନ୍ସ ବଢ଼ିବାରେ ଲାଗିଛି । ଆଣ୍ଟିବାୟୋଟିକ୍ସ୍ର ବ୍ୟବହାର କେବଳମଣିଷଙ୍କଠାରେ ନୁହେଁ ବରଂ ପ୍ରାଣୀସଂପଦ ଓ ମାଛ ଚାଷରେ ମଧ୍ୟ କରାଯାଉଛି । ତେଣୁ ମନୁଷ୍ୟର ଖାଦ୍ୟ ଶୃଙ୍ଖଳ ଭିତରେ ଏହା ପ୍ରବେଶ କରୁଛି । ଯେହେତୁ ବିଶ୍ୱରେ କୌଣସି ନୂଆ ଆଣ୍ଟିବାୟୋଟିକ୍ସ୍ର ଉଦ୍ଭାବନ ହୋଇନାହିଁ, ଏ ଦୃଷ୍ଟିରୁ ଡ୍ରଗ୍ ରେଜିଷ୍ଟାନ୍ସ ଭଳି ସମସ୍ୟାକୁ ଏହା ବଢ଼ାଇଦେଇଛି । ଆଣ୍ଟିବାୟୋଟିକ୍ସ୍ ରେଜିଷ୍ଟାନ୍ସର ପ୍ରମୁଖ କାରଣ ହେଉଛି ଓଭରଡୋଜ୍ ବା ମାତ୍ରାଧିକ ବ୍ୟବହାର ଓ ଅଣ୍ଡରଡୋଜ୍ ବା ଧାର୍ଯ୍ୟ ମାତ୍ରାଠାରୁ କମ୍ ସେବନ । ଯେଉଁ ରୋଗ ପାଇଁ ଆଣ୍ଟିବାୟୋଟିକ୍ସ୍ର କୌଣସି ଆବଶ୍ୟକତା ନାହିଁ ସେଠାରେ ଲୋକମାନେ ଏହାକୁ ଖାଉଛନ୍ତି । ବିଶେଷକରି ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଦୋକାନ କିମ୍ବା କ୍ୱାକ୍ଙ୍କ ପାଇଁ ଆଣ୍ଟିବାୟୋଟିକ୍ସ୍ ବ୍ୟବହାର ବଢ଼ି ବଢ଼ି ଚାଲିଛି । ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଗତ କିଛିବର୍ଷ ହେବ ରାଜ୍ୟରେ ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍ସ ଦେଖିବାକୁ ମିଳିଥିବା ଜଣାପଡ଼ିଛି । ନିକଟରେ ଜର୍ମାନୀର ଡଏସବର୍ଗ-ଏସେନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଥୋମାସ ରାମ୍ପ ଭାରତ ଆସିଥିବା ବେଳେ ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍ସକୁ ନେଇ ଚିନ୍ତାପ୍ରକଟ କରିଥିଲେ । ପ୍ରଫେସର ରାମ୍ପଙ୍କ କହିବା କଥା ୧୯୨୮ ମସିହାରେ ପେନସିଲିନ୍ର ବ୍ୟବହାର ଆରମ୍ଭ ହୋଇଥିବା ବେଳେ ୧୯୪୦ ମସିହାରେ ଏହାର ରେଜିଷ୍ଟାନ୍ସ ସଂପର୍କରେ ଜଣାପଡ଼ିଥିଲା । ତେଣୁ ବୈଜ୍ଞାନିକମାନେ ନୂଆ ଆଣ୍ଟିବାୟୋଟିକ୍ସର ଉଦ୍ଭାବନ ଉପରେ ଜୋର ଦେଇଥିଲେ । ମାତ୍ର ଗତ ୩ ଦଶନ୍ଧି ଧରି ବିଶ୍ୱରେ କୌଣସି ନୂଆଆଣ୍ଟିବାୟୋଟିକ୍ସ ବିକଶିତ ହୋଇନାହିଁ । ଦୁର୍ବଳ ପରିମଳ ବ୍ୟବସ୍ଥା, ହସ୍ପିଟାଲରେ ସଂକ୍ରମଣ ନିୟନ୍ତ୍ରଣ ନ ହୋଇପାରିବା, ମାଛ ଓ ଫାର୍ମିଂରେ ମାତ୍ରାଧିକ ବ୍ୟବହାର, ଆଣ୍ଟିବାୟୋଟିକ୍ସର ଅପବ୍ୟବହାର ଯୋଗୁ ରେଜିଷ୍ଟାନ୍ସ ଦେଖାଦେଉଛି । ତେଣୁ ଏହାର ବିକଳ୍ପ ଭାବେ ଆୟୁର୍ବେଦକୁ ଗ୍ରହଣ କରାଯାଇପାରିବ । ଆୟୁର୍ବେଦରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଆଣ୍ଟିବାୟୋଟିକ୍ସର ଅଯଥା ବ୍ୟବହାର ଉପରେ ନିୟନ୍ତ୍ରଣ ଆସିପାରିବ ବୋଲି ସେ କହିଛନ୍ତି । ଆଇସିଏମ୍ଆର ଅନୁବନ୍ଧିତ କର୍ଣ୍ଣାଟକସ୍ଥିତ ଜାତୀୟ ପାରମ୍ପରିକ ଔଷଧ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ସୁବର୍ଣ୍ଣ ରୟଙ୍କ କହିବା କଥା ଏଏମ୍ଆର ପାଇଁ ଦେଶର ଅନେକ ସ୍ଥାନରେ ଡିପ୍ଥେରିଆ ଭଳି ରୋଗ ଦେଖିବାକୁ ମିଳିଲାଣି । ଦେଶରେ ଏଭଳି ୧୦ଟି ପାଥୋଜେନ୍ ଚିହ୍ନଟ କରାଯାଇଛି ଯେଉଁମାନେ ଘାତକ ସାବ୍ୟସ୍ତ ହେଉଛନ୍ତି । ଅନେକ ସମୟରେ ଆଣ୍ଟିବାୟୋଟିକ୍ସ୍?କୁ ରୋଗ ଭଲ କରିବା ବଦଳରେ ଲକ୍ଷଣ ହ୍ରାସ କରିବା ପାଇଁ ଦିଆଯାଉଛି । ଜାତୀୟ ସ୍ୱାସ୍ଥ୍ୟ ନୀତିରେ ସଂକ୍ରମିତ ରୋଗର ବିକଳ୍ପ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଆୟୁର୍ବେଦରେ ଆଣ୍ଟିବାୟୋଟିକ୍ସ୍ ବଦଳରେ ରୋଗୀଙ୍କ ଚିକିତ୍ସା କରାଯାଉଥିବା ଡା.ରୟ କହିଛନ୍ତି ।
Comments
Post a Comment